ଟେଟ୍ରାଲୋଜି ଅଫ ଫ୍ୟାଲଟ
ଟେଟ୍ରାଲୋଜି ଅଫ ଫ୍ୟାଲଟ (ଇଂରାଜୀ ଭାଷାରେ Tetralogy of Fallot ବା TOF) ଏକ ଜନ୍ମଗତ ହୃତ୍ପିଣ୍ଡ ତୃଟି (congenital heart defect) ଯାହା ଜନ୍ମ ସମୟରେ ଥାଏ ।[୨] ଏହି ରୋଗରେ ନୀଳ ଚର୍ମ ଲକ୍ଷଣ ଦେଖାଯାଏ ଯାହାକୁ ନୀଳ ରକ୍ତତା ବା ସ୍ୟାନୋସିସ (bluish color to the skin) ମଧ୍ୟ କୁହାଯାଏ । ରୋଗାକ୍ରାନ୍ତ ଶିଶୁ କ୍ରନ୍ଦନ କରେ ବା ମଳତ୍ୟାଗ କରେ, "ଟେଟ ସ୍ପେଲ" ହେଲେ ଦେହ ନୀଳ ରଙ୍ଗରେ ପରିବର୍ତ୍ତୀତ ହୋଇଯାଏ, ଅଣନିଶ୍ୱାସୀ ହୁଏ, ନିସ୍ତେଜ ଓ ବେଳେବେଳେ ମୂର୍ଚ୍ଛା ହୋଇଯାଏ । ହୃତ୍ପିଣ୍ଡ ମରମର (heart murmur)ଶୁଣାଯାଏ, ଆଙ୍ଗୁଠି କ୍ଲବିଙ୍ଗ (finger clubbing) ହୁଏ ଓ ସ୍ତନ୍ୟପାନ (breastfeeding) ସମୟରେ ଥକ୍କା ହୋଇଯାଏ । [୩] ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଯେଉଁ ମାଆର ମଦ୍ୟପାନ (alcohol) ଅଭ୍ୟାସ ଅଛି, ମଧୁମେହ ଅଛି, ବୟସ ୪୦ରୁ ଅଧିକ ଅଛି ଓ ଗର୍ଭାବସ୍ଥାରେ ରୁବେଲା ରୋଗ ହୋଇଥିଲା ସେମାନଙ୍କର ଏହି ରୋଗ ସଙ୍କଟ ରହେ । ଡାଉନ ସିଣ୍ଡ୍ରୋମ ସହିତ ମଧ୍ୟ ଏହି ରୋଗ ରହିପାରେ ।[୪] ସ୍ୱାଭାବିକ ଭାବରେ ୪ଟି ତୃଟି ଏହି ରୋଗରେ ଥାଏ: ଭେଣ୍ଟ୍ରିକୁଲାର ସେପ୍ଟାଲ ଡିଫେକ୍ଟ (ventricular septal defect), ପଲମୋନାରି ସ୍ଟେନୋସିସ (pulmonary stenosis), ରାଇଟ ଭେଣ୍ଟ୍ରିକୁଲା ହାଇପରଟ୍ରଫି (right ventricular hypertrophy), ଓ ଓଭରରାଇଡିଙ୍ଗ ଆଓର୍ଟା (overriding aorta) । ଭେଣ୍ଟ୍ରିକୁଲାର ସେପ୍ଟାଲ ଡିଫେକ୍ଟରେ ଦୁଇ ନିଳୟ ମଝିରେ ଥିବା କାନ୍ଥରେ ଛିଦ୍ର ଥାଏ, ପଲମୋନାରି ସ୍ଟେନୋସିସରେ ଦକ୍ଷିଣ ନିଳୟରୁ ବାହାରୁଥିବା ଧମନୀର ମୁହଁ ସରୁ ଥାଏ, ଦକ୍ଷିଣ ନିଳୟ ଆକାର ବଡ଼ ହୋଇଥିଲେ ରାଇଟ ଭେଣ୍ଟ୍ରକୁଲାର ହାଇପରଟ୍ରଫି କୁହାଯାଏ ଓ ଓଭରରାଇଡିଙ୍ଗ ଆଓର୍ଟାରେ ଉଭୟ ଦୁଇ ନିଳୟ ମଧ୍ୟରୁ ଆଓର୍ଟାକୁ ରକ୍ତ ଯାଇପାରେ ।[୨] ଏହି ରୋଗରେ ଜୀବନର ପ୍ରଥମ ବର୍ଷରେ ଓପନ ହାର୍ଟ ଅପରେଶନ (open heart surgery) କରାଯାଏ । ଶିଶୁର ଲକ୍ଷଣ ଓ ତୃଟିର ଆକାର ଉପରେ ଅପରେଶନ ନିର୍ଭର କରେ । ଏହି ଅପରେଶନରେ ପଲମୋନାରି ଭଲଭର ଆକାର ବଡ଼ କରାଯାଏ ଓ ଭେଣ୍ଟ୍ରିକୁଲାର ସେପ୍ଟାଲ ତୃଟି ମରାମତ କରାଯାଏ । ଛୋଟ ଶିଶୁ ହୋଇଥିଲେ ଅସ୍ଥାୟୀ ଅପରେଶନ କରି ଶିଶୁ ବଡ଼ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଏ ।[୫] ଅଧିକାଂଶ ରୋଗୀ ଯୁବାବସ୍ଥା ପର୍ଯ୍ୟନ୍ତ ବଞ୍ଚିରହନ୍ତି । [୨] ଆରିଦମିଆ (irregular heart rate) ଓ ପଲମୋନାରି ରିଗର୍ଜିଟେସନ (pulmonary regurgitation) ଭଳି ଦୀର୍ଘସ୍ଥାୟୀ ସମସ୍ୟା ରହିପାରେ । [୬] ପ୍ରତି ୨,୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଗୋଟିଏ ଶିଶୁର ଟେଟ୍ରାଲୋଜି ଅଫ ଫ୍ୟାଲଟ ରୋଗ ଥାଏ ।[୨] ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[୨] ଏହା ଏକ ସର୍ବାଧିକ ସାଧାରଣ ଜଟିଳ ଜନ୍ମଗତ ହୃତ୍ପିଣ୍ଡ ତୃଟି ରୋଗ ।[୭] ବହୁ ପୂର୍ବରୁ ସନ ୧୬୭୧ରେ ନିଏଲ ସ୍ଟେନସେନ (Niels Stensen) ଏହି ରୋଗର ବର୍ଣ୍ଣନା ପ୍ରଥମେ କରିଥିଲେ । ସନ ୧୮୮୮ରେ ଫରାସୀ ଚିକିତ୍ସକ ଏଟିଏନ ଫାଲଟ (Étienne-Louis Arthur Fallot) ଏହି ରୋଗ ବିଷୟରେ ସବିଶେଷ ବର୍ଣ୍ଣନା କରିଥିବାରୁ ତାଙ୍କର ନାମାନୁସାରେ ଏହି ରୋଗର ନାମକରଣ ହୋଇଛି । [୧] ସନ ୧୯୫୪ରେ ପ୍ରଥମେ ଏହି ରୋଗର ଅପରେଶନ କରାଯାଇଥିଲା ।[୬] ଆଧାର
|
Portal di Ensiklopedia Dunia