ଭାରତୀୟ ନୁକୁରି ପକ୍ଷୀ
ଭାରତୀୟ ନୁକୁରି ପକ୍ଷୀ (ଇଂରାଜୀ ଭାଷାରେ Indian Courser, ଜୀବବିଜ୍ଞାନ ନାମ Cursorius coromandelicus) ଦକ୍ଷିଣ ଏସିଆରେ ପରିଲକ୍ଷିତ ନୁକୁରି ଜାତୀୟ ପକ୍ଷୀ । ଗଙ୍ଗା ନଦୀ ଓ ସିନ୍ଧୁ ନଦୀ ଅବବାହିକାର ସମତଳ ଅଞ୍ଚଳରେ ଏହି ପକ୍ଷୀ ବହୁ ସଂଖ୍ୟାରେ ଦେଖିବାକୁ ମିଳନ୍ତି । ଅନ୍ୟ ନୁକୁରି ପକ୍ଷୀଙ୍କ ପରି ଭାରତୀୟ ନୁକୁରି ପକ୍ଷୀ ମଧ୍ୟ ଏକ ସ୍ଥଳଚର ପକ୍ଷୀ । ଏମାନେ ଛୋଟ ଛୋଟ ଦଳରେ ବିଚରଣ କରନ୍ତି । ଶୁଷ୍କ ଖୋଲା ଭୂମିରେ ବୁଲି ଏମାନେ ବିଭିନ୍ନ କୀଟପତଙ୍ଗ ଆହରଣ କରିଥାନ୍ତି । ବିବରଣୀଏହି ନୁକୁରି ପକ୍ଷୀ ସମଗ୍ର ଦକ୍ଷିଣ ଏସିଆରେ ଦେଖାଯାଏ । ଏମାନଙ୍କ ଭୌଗୋଳିକ କ୍ଷେତ୍ରର କିଛି ଅଂଶରେ ଏକା ପରି ଦେଖାଯାଉଥିବା ଘିଅରଙ୍ଗୀ ନୁକୁରି ପକ୍ଷୀର (cream-colored courser) ଭୌଗୋଳିକ କ୍ଷେତ୍ର ମଧ୍ୟ ରହିଛି । ଭାରତୀୟ ନୁକୁରି ପକ୍ଷୀର ଶରୀରର ରଙ୍ଗ କିନ୍ତୁ ଉଜ୍ଜ୍ୱଳତର ଓ ଏହାର ଥଣ୍ଟ ପାଖରୁ ବାହାରି ଆଖି ଉପର ଦେଇ ଯାଇଥିବା ପଟି ଦାଗ ଅଧିକ ମୋଟା । ଏହାର ମୁଣ୍ଡର ଉପର ପଟ ଗାଢ଼ ବାଦାମୀ ଓ ଏହାର ଛାତି ଖଇରିଆ ରଙ୍ଗର । ବେକର ପଛପଟକୁ ଏକ ଗାଢ଼ କଳା ଛାପ ଚିହ୍ନ ରହିଥାଏ ।[୨] ଉଡ଼ନ୍ତା ଅବସ୍ଥାରେ ଭାରତୀୟ ନୁକୁରିର ପଶ୍ଚାତ ଭାଗ ଧଳା ଦେଖାଯାଏ । ଏହାର ଡେଣାର ଅଗ ଘିଅରଙ୍ଗୀ ନୁକୁରି ପରି ଗାଢ଼ କଳା ଦେଖାଯାଏ ନାହିଁ । ଉଭୟ ଅଣ୍ଡିରା ଓ ମାଈ ପକ୍ଷୀ ଦେଖିବାକୁ ଏକା ପରି ।[୩][୪] ଏହାର ଲମ୍ବା ଗୋଡ଼ଗୁଡ଼ିକ ଧଳା ରଙ୍ଗର । ପାଦରେ କେବଳ ସାମନା ପଟକୁ ତିନିଗୋଟି ଅଙ୍ଗୁଳି ରହିଥାଏ ।[୨] ଭାରତୀୟ ନୁକୁରି ପକ୍ଷୀ ଅନ୍ୟାନ୍ୟ ନୁକୁରି ପକ୍ଷୀଙ୍କ ନିକଟ ସମ୍ପର୍କୀୟ । ଭାରତୀୟ ନୁକୁରି ପକ୍ଷୀକୁ ଘିଅରଙ୍ଗୀ ନୁକୁରି, ଟେମିଂକ୍ ନୁକୁରି ଓ ବର୍ଶେଲ୍ ନୁକୁରିର ଉପର-ପ୍ରଜାତି ପକ୍ଷୀ ବୋଲି ବିବେଚନା କରାଯାଏ । ଭୌଗୋଳିକ ବିତରଣ ଓ ପରିବାସ![]() ![]() ଭାରତୀୟ ନୁକୁରି ପକ୍ଷୀ ଶୁଷ୍କ ଗୋଡ଼ିପୂର୍ଣ୍ଣ, ପଥୁରିଆ ଓ ବୁଦାଳିଆ ଭୂମିରେ ଅଧିକ ଦେଖାଯାନ୍ତି ଓ ଏମାନଙ୍କୁ ବାଲୁକାମୟ ସ୍ଥାନରେ ପ୍ରାୟ ଦେଖିବାକୁ ମିଳେନାହିଁ ।[୫] ସିନ୍ଧୁ ନଦୀ ଉପତ୍ୟକାରୁ ନେଇ ପୂର୍ବପଟେ ବଙ୍ଗଳାଦେଶ ଏବଂ ଦକ୍ଷିଣ ଦିଗରେ ଭାରତୀୟ ଉପଦ୍ୱୀପ ପର୍ଯ୍ୟନ୍ତ ଏହି ପକ୍ଷୀ ଦେଖିବାକୁ ମିଳନ୍ତି । ଉତ୍ତର ଶ୍ରୀଲଙ୍କାର ଶୁଷ୍କ ଅଞ୍ଚଳରେ ମଧ୍ୟ ଭାରତୀୟ ନୁକୁରି ବସବାସ କରିବାର ଦେଖାଯାଏ । ଏହି ପକ୍ଷୀ ଆର୍ଦ୍ର ଅରଣ୍ୟରେ ରହିବା ପସନ୍ଦ କରନ୍ତି ନାହିଁ । ଦକ୍ଷିଣ ଭାରତରେ କରମଣ୍ଡଳ ଉପକୂଳରେ ଏହା ଏକ ଅତି ସାଧାରଣ ସ୍ଥାନୀୟ ପକ୍ଷୀ ।[୬] ତେଣୁ ଏହି ପକ୍ଷୀର ଜୀବବିଜ୍ଞାନ ନାମରେ କୋରୋମେଣ୍ଡେଲିକସ୍ ରହିଛି । ଭାରତୀୟ ଉପଦ୍ୱୀପର ଅନ୍ୟ ଅଞ୍ଚଳରେ ମଧ୍ୟ ଏହି ପକ୍ଷୀ ବ୍ୟାପ୍ତ ।[୭][୮] ଡେକାନ ମାଳଭୂମି, ଉତ୍ତର-ପଶ୍ଚିମସ୍ଥ ଗୁଜରାଟ ଓ ରାଜସ୍ଥାନର ଶୁଷ୍କ ଅଞ୍ଚଳରେ ଏହି ପକ୍ଷୀ ବହୁ ମାତ୍ରାରେ ଦେଖିବାକୁ ମିଳନ୍ତି ।[୯] ଏହି ପକ୍ଷୀ କିଛି ସ୍ଥାନରେ ମୂଳ ନିବାସୀ ପରି ରହେ ଅନ୍ୟ ସେହି ଅଞ୍ଚଳ ମଧ୍ୟରେ ବିଚରଣ କରେ ।[୧୦][୧୧] ପରିସଂସ୍ଥା ଓ ବ୍ୟବହାରଏହି ନୁକୁରୀ ପକ୍ଷୀମାନଙ୍କୁ ଛୋଟ ଛୋଟ ଦଳରେ ଦେଖିବାକୁ ମିଳେ । ନିଜ ଶରୀରର ଉଚ୍ଚତାରୁ ଅଧିକ ଲମ୍ବା ହୋଇନଥିବା ଘାସ ଜମିରେ ଏମାନେ ଅଧିକାଂଶରେ ଦେଖାଯାନ୍ତି । ସ୍ଥଳଚର ପକ୍ଷୀ ହୋଇଥିବାରୁ ଅଧିକ ଉଚ୍ଚତାବିଶିଷ୍ଟ ଘାସ ଏମାନଙ୍କ ଦୃଷ୍ଟିରୋଧ କରିଥାଏ । ଅମଳ ହୋଇସାରିଥିବା ଓ ଚଷା ଯାଇନଥିବା ଜମିର ଊଈ, ଗୋବର ପୋକ, ଝିଣ୍ଟିକା, ପଙ୍ଗପାଳ ଓ ଅନ୍ୟାନ୍ୟ କୀଟପତଙ୍ଗ ଏମାନଙ୍କର ପ୍ରଧାନ ଆହାର ।[୧୨] ଏମାନେ ଭୂମି ଉପରେ ଦୌଡ଼ି ପାରନ୍ତି ଓ ଉଡ଼ିବା ପୂର୍ବରୁ ଏକ କର୍କଷ ଗ୍ୱାଟ୍ ଶବ୍ଦ ସୃଷ୍ଟି କରି ଉପରକୁ ଉଠନ୍ତି ।[୩] ଏମାନେ ଜୋରରେ ଡେଣା ଫଡ଼ଫଡ଼ କରି ଉଡ଼ନ୍ତି ।[୧୩] ଭାରତୀୟ ନୁକୁରି ପକ୍ଷୀ କମ୍ ଉଚ୍ଚତାରେ ଉଡ଼ନ୍ତି ଏବଂ ଓହ୍ଲାଇବା ପରେ କିଛି ଦୂର ଦୌଡ଼ିଯାନ୍ତି ।[୨][୧୪][୧୫] ମାର୍ଚ୍ଚରୁ ଅଗଷ୍ଟ ଏହି ପକ୍ଷୀର ପ୍ରଜନନ ଋତୁ । ଦକ୍ଷିଣ ଭାରତ ଓ ଶ୍ରୀଲଙ୍କାର କିଛି ପକ୍ଷୀଙ୍କ ପ୍ରଜନନ ଋତୁ ମଇ ମାସର ମଝିରୁ ଏବଂ ଦରଭଙ୍ଗା ଅଞ୍ଚଳର ପକ୍ଷୀଙ୍କ ପ୍ରଜନନ ଋତୁ ଅପ୍ରେଲ୍ ମାସ ମଝିରୁ ଆରମ୍ଭ ହେବାର ତଥ୍ୟ ରହିଛି ।[୮][୧୬] ଖୋଲା ପଡ଼ିଆ ବା ପଥୁରିଆ ସ୍ଥାନରେ ଏମାନେ ନିଜର ବସା ବାନ୍ଧନ୍ତି ଓ ସେଥିରେ ପ୍ରାୟ ଗୋଲକାକାର ୨ରୁ ୩ଟି ଅଣ୍ଡା ଦିଅନ୍ତି । ଛଳାବରଣ ଯୋଗୁଁ ଅଣ୍ଡାଗୁଡ଼ିକୁ ସହଜରେ ଦେଖିବା କଷ୍ଟ ହୁଏ ।[୧୭] ନୁକୁରି ଶାବକମାନଙ୍କ ରଙ୍ଗ ବାହ୍ୟ ପରିବେଶ ସହ ମିଶିଯାଏ । ସତର୍କ ସୂଚନା ପାଇଲେ ଶାବକମାନେ ନିଶ୍ଚଳ ହୋଇ ବସିଯାଆନ୍ତି ଏବଂ ଏମାନଙ୍କୁ ଠାବ କରିବା କଷ୍ଟ ହୋଇଥାଏ ।[୧୩] କେହି ଶାବକଙ୍କ ନିକଟକୁ ଆସିବାର ସମ୍ଭାବନା ଦେଖିଲେ ପ୍ରାପ୍ତବୟସ୍କ ପକ୍ଷୀମାନେ କୌଣସି ପ୍ରଦର୍ଶନ ବା ଶବ୍ଦ ସୃଷ୍ଟି କରନ୍ତି ନାହିଁ ।[୧୮] ଅଣ୍ଡା ଫୁଟିବା ପରଠାରୁ ଶାବକମାନେ ଚଳପ୍ରଚଳ କରିପାରନ୍ତି । ପ୍ରଥମେ ପିତାମାତା ଆଣିଥିବା ଖାଦ୍ୟ ଖାଆନ୍ତି ଓ ଜନ୍ମ ହେବାର ଏକ ସପ୍ତାହ ପରେ ନିଜେ ଖାଦ୍ୟ ଖୋଜି ଖାଇଥାନ୍ତି ।[୧୪][୧୯][୨୦] ଅସ୍ଥିତ୍ୱ ପ୍ରତି ସଙ୍କଟସହରୀକରଣ, ନିର୍ମାଣ ତଥା କୃଷିକାର୍ଯ୍ୟ ନିମନ୍ତେ ସମ୍ପ୍ରସାରଣ ହେତୁ ଭାରତୀୟ ନୁକୁରି ପକ୍ଷୀ ବସବାସ କରୁଥିବା ଖୋଲା ଶୁଷ୍କ ପରିବାସ ବର୍ତ୍ତମାନ ବହୁ ପରିମାଣରେ ହ୍ରାସ ପାଇବାରେ ଲାଗିଛି । ଗୁଜରାଟ ରାଜ୍ୟର ଅନେକ ତୃଣଭୂମିରେ ଏହି ପକ୍ଷୀକୁ ଦେଖିବା ଏକଦା ଅତି ସାମାନ୍ୟ ଘଟଣା ଥିବାବେଳେ ବର୍ତ୍ତମାନ ସମୟରେ ଏମାନେ କିଛି ତୃଣଭୂମି ଅଞ୍ଚଳରୁ ନିଶ୍ଚିହ୍ନ ହୋଇଗଲେଣି । ଔଦ୍ୟୋଗୀକରଣ ଓ ଯାନବାହନ ଚଳପ୍ରଚଳର ମାତ୍ରା ବଢ଼ିବାରୁ କିଛି ସ୍ଥାନରେ ଏହି ପକ୍ଷୀ ନିଜ ପରିବାସ ହରାଇ ବସିଛନ୍ତି ।[୨୧] ଆଧାର
ଅନ୍ୟାନ୍ୟ ଲିଂକ୍![]() ଉଇକିମିଡ଼ିଆ କମନ୍ସରେ Cursorius coromandelicus
ବାବଦରେ ମାଧ୍ୟମ ରହିଛି । |
Portal di Ensiklopedia Dunia