ରାମସ୍ୱାମୀ ଭେଙ୍କଟରମଣ
ରାମସ୍ୱାମୀ ଭେଙ୍ଗଟରମଣ (୪ ଡିସେମ୍ବର ୧୯୧୦ - ୨୭ ଜାନୁଆରୀ ୨୦୦୯) ଜଣେ ସ୍ୱାଧୀନତା ସଂଗ୍ରାମୀ, ଆଇନଜୀବୀ ଓ ରାଜନେତା ଥିଲେ । ସେ ଭାରତର କେନ୍ଦ୍ରମନ୍ତ୍ରୀ ତଥା ଅଷ୍ଟମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ସେ ୧୯୧୦ ଡିସେମ୍ବର ୪ ତାରିଖରେ ତାମିଲନାଡୁର ତାଞ୍ଜୋରଠାରେ ଜନ୍ମଗ୍ରହଣ କରିଥିଲେ । ସେ ମାଡ୍ରାସର ଲୋୟଲା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ଓ ଆଇନରେ ଡିଗ୍ରୀ ହାସଲ କରିବା ପରେ ଉଚ୍ଚନ୍ୟାୟାଳୟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ସେ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ଦୁଇବର୍ଷ କାରାବରଣ କରିଥିଲେ । ୧୯୪୪ରେ ଜେଲରୁ ବାହାରିବା ପରେ ତାମିଲନାଡୁ ପ୍ରାଦେଶିକ କଂଗ୍ରେସ କମିଟିର ଶ୍ରମିକ ସଂଗଠନର ନେତୃତ୍ୱ ନେଇଥିଲେ । ୧୯୫୨ରେ ସେ ପ୍ରଥମେ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିଲେ । ୧୯୫୭ରେ ଦ୍ୱିତୀୟ ଥର ନିର୍ବାଚିତ ହୋଇ ପରେ ଇସ୍ତଫା ଦେଇଥିଲେ । କେ କାମରାଜଙ୍କ ଆମନ୍ତ୍ରଣ କ୍ରମେ ସେ ମାଡ୍ରାସ ରାଜ୍ୟ ସରକାରରେ ଶ୍ରମ, ସମବାୟ, ଶିଳ୍ପ, ଶକ୍ତି ଓ ପରିବହନ ମନ୍ତ୍ରୀ ହୋଇଥିଲେ । ୧୯୬୭ରେ ସେ ଯୋଜନା କମିଶନର ସଦସ୍ୟ ହେବା ସହ କେନ୍ଦ୍ରମନ୍ତ୍ରୀମଣ୍ଡଳର ଶିଳ୍ପ, ଶ୍ରମିକ, ଶକ୍ତି, ପରିବହନ, ଯୋଗାଯୋଗ ଓ ରେଳ ବିଭାଗ ମନ୍ତ୍ରୀ ଭାବେ ୧୯୭୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୭୭ରେ ମାଡ୍ରାସ (ଦକ୍ଷିଣ) ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୩ରେ ସେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ମିଶାଇଲ ମ୍ୟାନ ଭାବେ ପରିଚିତ ଅବଦୁଲ କଲାମଙ୍କୁ ସେ ମହାକାଶ କାର୍ଯ୍ୟକ୍ରମରୁ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଆଣିଥିଲେ । ୧୯୮୪ରେ ଉପରାଷ୍ଟ୍ରପତି ଓ ୧୯୮୭ରେ ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ଜାନୁଆରୀ ୨୭ ତାରିଖରେ ତାଙ୍କର ପରଲୋକ ଘଟିଥିଲା । ରଚନାବଳୀ
ଆଧାରଅଧିକ ତଥ୍ୟ![]() ଉଇକିମିଡ଼ିଆ କମନ୍ସରେ ରାମସ୍ୱାମୀ ଭେଙ୍କଟରମଣ
ବାବଦରେ ମାଧ୍ୟମ ରହିଛି ।
|
Portal di Ensiklopedia Dunia